ଫୋକସରେ

ଆଇଟିଆଇ

ଆଇଟିଆଇ ଭୁବନେଶ୍ବର

୧୯୮୫ ମସିହାରେ କେବଳ ବାଳିକାଙ୍କ ପାଇଁ ମାତ୍ର ୪ଟି ଟ୍ରେଡରେ ଆରମ୍ଭ ହୋଇଥିବା ଭୁବନେଶ୍ବର ଶିଳ୍ପ ତାଲିମ ପ୍ରତିଷ୍ଠାନ ଦୀର୍ଘ ୨୭ ବର୍ଷ ଧରି ନୂଆ ନୂଆ କୀର୍ତ୍ତିମାନ ପ୍ରତିଷ୍ଠା କରି ଆସୁଛି। ଏହା ଶିଳ୍ପ ଓ ବୈଷୟିକ ତାଲିମ ପାଇଁ ଅନ୍ୟତମ ଶ୍ରେଷ୍ଠ କେନ୍ଦ୍ର ଭାବେ ସୁନାମ ଅର୍ଜନ କରିଛି। ବର୍ତ୍ତମାନ ଏଠାରେ ୮ଟି ଦକ୍ଷତା ପାଠ୍ୟକ୍ରମରେ ତାଲିମ ପ୍ରଦାନ କରାଯାଉଥିବା ବେଳେ ୬୭୬ଟି ସିଟରେ ଉଭୟ ବାଳକ ଓ ବାଳିକା ଅଧ୍ୟୟନ କରୁଛନ୍ତି।

ଏହି ଆଇଟିଆଇରେ ଭାରତ ସରକାରଙ୍କ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଯାୟୀ ଏମଇଏସ ସ୍କିଲ୍ସ ଅଧିନରେ ମୌଳିକ କମ୍ପ୍ୟୁଟର ଶିକ୍ଷା, ଟାଲ୍ଲି, କମ୍ପ୍ୟୁଟର ହାର୍ଡଓୟାର, ମାଲଟିମିଡ଼ିଆ ଓ ୱେବପେଜ୍ ଡିଜାଇନ୍, ମୌଳିକ ବୈଦ୍ୟୁତିକ ଶିକ୍ଷା, ମୌଳିକ ବୈଦ୍ୟୁତିକ ଯନ୍ତ୍ରପାତି ମରାମତି, ମୋବାଇଲ ମରାମତି, ସିଲେଇ, ସୌର ବିଦ୍ୟୁତଶକ୍ତି ଆଦି ବିଷୟରେ ସ୍ୱଳ୍ପ ଅବଧି ତାଲିମ ବିନା ମୂଲ୍ୟରେ ପ୍ରଦାନ କରାଯାଉଛି। ଏହା ବ୍ୟତୀତ ରେଳବାଇ ଏବଂ ଅନ୍ୟାନ୍ୟ ରାଷ୍ଟ୍ରାୟତ ଉଦ୍ୟୋଗରେ ନିଯୁକ୍ତି ପାଇବାକୁ ତାଲିମାର୍ଥୀଙ୍କୁ ପ୍ରସ୍ତୁତ କରିବା ପାଇଁ ଏହି ତାଲିମ ପ୍ରତିଷ୍ଠାନ ବିଭିନ୍ନ ଜଣାଶୁଣା ପ୍ଲେସମେଣ୍ଟ କୋଚିଙ୍ଗ ପ୍ରତିଷ୍ଠାନ ସହ ଅନୁବନ୍ଧିତ ଅଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଫ୍ଟ ଏବଂ କାମୁନିକେଶନ ଦକ୍ଷତା ବିକାଶ ପାଇଁ ନିକଟ ବର୍ଷରେ କିଛି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି; ଯାହା ଦ୍ଵାରା ଛାତ୍ରଛାତ୍ରୀମାନେ ବହୁରାଷ୍ଟ୍ରୀୟ କମ୍ପାନୀରେ ନିଯୁକ୍ତି ପାଇବାକୁ ସକ୍ଷମ ହେବେ। ଏଥିସହିତ ପିଲାମାନଙ୍କ ମଧ୍ୟରେ ଅନ୍ୟାନ୍ୟ କ୍ଷେତ୍ରରେ ଦକ୍ଷତା ବିକାଶ ପାଇଁ କ୍ରୀଡା, ବକ୍ତୃତା ସହିତ ପାଠ୍ୟଚକ୍ର, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସାମୁହିକ କାର୍ଯ୍ୟ ଆୟୋଜନ କରିବା ଉପରେ ସ୍ଵତନ୍ତ୍ର ଦୃଷ୍ଟି ଦିଆଯାଉଛି।

ଶ୍ରେଣୀଗୃହରେ ଶିକ୍ଷା ବ୍ୟତୀତ ପ୍ରତିଷ୍ଠାନରେ ସ୍ମାର୍ଟକ୍ଲାସ ରୁମ୍ ସହିତ ସ୍ମାର୍ଟବୋର୍ଡର ସୁବିଧା ରହିଛି। ଆଡଭାନ୍ସ ଶିକ୍ଷା ପାଇଁ କମ୍ପ୍ୟୁଟର ଓ ଇଣ୍ଟରନେଟ୍ ସୁବିଧା ଜଡିତ ଇ-ଲାଇବ୍ରେରୀ ରହିଛି। ଉଭୟ ବାଳକ ଓ ବାଳିକାଙ୍କ ରହିବା ପାଇଁ ହଷ୍ଟେଲ୍ ସୁବିଧା ଉପଲବ୍ଧ।

ପ୍ରତି ବର୍ଷ ପାଖାପାଖି ୮୦% ତାଲିମାର୍ଥୀଙ୍କୁ ହିରୋ ମଟୋକର୍ପ,ସାମସଙ୍ଗ, ଟାଟା ମୋଟର୍ସ, ୟୁନିଟେକ୍ କର୍ପୋରେସନ, ଲାଭା ଇଣ୍ଟରନେସନାଲ, ଆଇଟିସି ପରି ବଡ ବଡ ପ୍ରତିଷ୍ଠିତ କମ୍ପାନୀରେ ନିଯୁକ୍ତି ଦେଇ ଆଇଟିଆଇ ଭୁବନେଶ୍ବର ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି।

Employer

ଆଇଟିଆଇ ଭୁବନେଶ୍ବର

ନିଯୁକ୍ତିଦାତା

ସାହି ଏକ୍ସପୋର୍ଟ

ଭାରତରେ ପୋଷାକ ଓ ବୟନ ଶିଳ୍ପ କ୍ଷେତ୍ର ୧୧୯ ମିଲିୟନ୍ ଲୋକଙ୍କୁ ନିଯୁକ୍ତି ଦେଇଛି; ଯେଉଁଥିରେ ଶତକଡା ୩୫% ମହିଳା କର୍ମଜୀବୀ ଅଛନ୍ତି। ସ୍ୱଳ୍ପ କୁଶଳୀ ଓ ଅର୍ଦ୍ଧ କୁଶଳୀ ମହିଳା କର୍ମଜୀବୀଙ୍କ ପାଇଁ ବୟନ ଶିଳ୍ପ ବିପୁଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ନିକଟ ବର୍ଷରେ ଓଡ଼ିଶା ସରକାର ରାଜ୍ୟରେ ଟେକ୍ସଟାଇଲ୍ ୟୁନିଟ ପ୍ରତିଷ୍ଠା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ଭାରତର କୋଇମ୍ବଟୁର, ଚେନ୍ନାଇ, ଭୁବନେଶ୍ବରର ତିରୁପୁର ପରି ପ୍ରମୁଖ ଟେକ୍ସଟାଇଲ୍ ୟୁନିଟରେ ‘ସ୍କିଲ୍ଡ ଇନ୍ ଓଡ଼ିଶା’ର ବିଶେଷ କରି ବାଳିକାମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛନ୍ତି।

ସାହି ଏକ୍ସପୋର୍ଟ ପ୍ରାଇଭେଟ ଲିମିଟେଡ ହେଉଛି ଏପରି ଏକ ନିଯୁକ୍ତିଦାତା ଯେଉଁଥିରେ ନିଯୁକ୍ତି ପାଇଥିବା କର୍ମଚାରୀମାନେ ବିଶେଷକରି ଓଡ଼ିଶାର ସରକାରୀ ଓ ବେସରକାରୀ ଆଇଟିଆଇରେ ତାଲିମ ପାଇଛନ୍ତି। ଏହାର କର୍ମଚାରୀଙ୍କ ମଧ୍ୟରେ ପାଖାପାଖି ୬୦% ମହିଳା କାର୍ଯ୍ୟ କରୁଛନ୍ତି; ଯେଉଁମାନେ କି ଓଡ଼ିଶାରେ ଦକ୍ଷତାପ୍ରାପ୍ତ। ସାହି ଏକ୍ସପୋର୍ଟ ଡିଡିୟୁ-ଜିକେୱାଇ, ଓଡ଼ିଶା ଅଧିନରେ ତାଲିମ ସହଯୋଗୀ ଭାବେ କାର୍ଯ୍ୟ କରୁଛି ଏବଂ ଓଡ଼ିଶାରୁ ଦକ୍ଷ ଅପରେଟରଙ୍କୁ ସଂସ୍ଥାରେ ନିଯୁକ୍ତି ଦେଉଛି। ନିକଟରେ ସଂସ୍ଥା ନିଜର ଏକ ଶାଖା ଭୁବନେଶ୍ବରରେ ପ୍ରତିଷ୍ଠା କରିଛି। ସାହି ଏକ୍ସପୋର୍ଟର ଅଧିକାରୀଙ୍କ କହିବା ଅନୁଯାୟୀ, ଓଡ଼ିଶାର କୁଶଳୀ କର୍ମୀମାନେ ବେଶ ନିଷ୍ଠାର ସହ କାର୍ଯ୍ୟ କରିଥାନ୍ତି। ସେମାନେ ବହୁତ ଶୃଙ୍ଖଳିତ। ଖୁବଶୀଘ୍ର ଜ୍ଞାନ ଆହରଣ କରିବା ସହ ନିଜ ଦକ୍ଷତାକୁ ସଠିକ ଭାବେ କାର୍ଯ୍ୟରେ ଲଗାଉଛନ୍ତି।

Employer

ସାହି ଏକ୍ସପୋର୍ଟ

ତାଲିମ ସହଯୋଗୀ

ଆବେ ୱେଷ୍ଟ ସର୍ଭିସେସ

ଆବେ ୱେଷ୍ଟ ସର୍ଭିସ (AWS) ୨୦୧୦ ମସିହାରୁ ଦକ୍ଷତା ବିକାଶ କ୍ଷେତ୍ର ସହିତ ଜଡିତ। ଦିନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନା (ଡିଡିୟୁ-ଜିକେୱାଇ) ଅଧିନରେ ଗ୍ରାମାଞ୍ଚଳର ବିଶେଷ କରି ଗରିବ ଶ୍ରେଣୀର ଯୁବଗୋଷ୍ଠୀଙ୍କୁ ଦକ୍ଷତା ତାଲିମ ପ୍ରଦାନ କରିବା ପାଇଁ ୨୦୧୪ ମସିହାରୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ସହିତ ସହଭାଗିତାରେ କାର୍ଯ୍ୟ କରୁଛି। ଏହି ସଂସ୍ଥା ଡିଡିୟୁ-ଜିକେୱାଇ ଅଧିନରେ ବର୍ତ୍ତମାନ ୩ଟି ପ୍ରକଳ୍ପକୁ ସଫଳତାର ସହ ଶେଷ କରିଛି। ୨୦୮୧ଜଣ ଗ୍ରାମାଞ୍ଚଳ ଯୁବଗୋଷ୍ଠୀଙ୍କୁ ଦକ୍ଷତା ତାଲିମ ପ୍ରଦାନ କରିଛି; ଯେଉଁଥିରୁ ୧୪୪୫ଜଣ ବିଭିନ୍ନ ଶିଳ୍ପ ସଂସ୍ଥାରେ ନିଯୁକ୍ତି ପାଇଛନ୍ତି। ଆବେ ୱେଷ୍ଟ ବିଶ୍ବାସ କରେ ଯେ; ଯେଉଁମାନେ ସମାଜର ମୁଖ୍ୟ ସ୍ରୋତରୁ ବାଦ ପଡିଯାଇଛନ୍ତି ସେମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବା ପାଇଁ ଉପଯୁକ୍ତ ମାର୍ଗ ଦର୍ଶନ ସହିତ ଦ୍ଵିତୀୟ ସୁଯୋଗ ଦେବାର ଆବଶ୍ୟକତା ରହିଛି ଏବଂ ଏହା ଦକ୍ଷତା ବିକାଶ ଦ୍ଵାରା ସମ୍ଭବ ହୋଇପାରିବ। ଏଥିପାଇଁ ସଂସ୍ଥା ୭୦୦୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ତାଲିମ ପ୍ରଦାନ କରିଥିବା ବେଳେ ତନମଧ୍ୟରୁ ପାଖାପାଖି ୫୦୦୦ ଛାତ୍ରଛାତ୍ରୀ ବିଭିନ୍ନ ଶିଳ୍ପ ସଂସ୍ଥାରେ ନିଯୁକ୍ତି ପାଇଛନ୍ତି। ସାରା ଓଡ଼ିଶାରେ ଆବେ ୱେଷ୍ଟର ମୋଟ ୧୧ଟି ତାଲିମ କେନ୍ଦ୍ର ରହିଛି। ସେଠାରେ ଛାତ୍ରଛାତ୍ରୀଙ୍କୁ ହସ୍ପିଟାଲିଟି, ଇଲେକ୍ଟ୍ରିକାଲ, ଇଣ୍ଡଷ୍ଟ୍ରିଆଲ ସିୱିଙ୍ଗ ମେସିନ୍, ଫିନିଶର ଏବଂ ଚେକର୍, ବ୍ୟୁଟି କେୟାର ଆଦି ବିଭିନ୍ନ ବିଭାଗରେ ମୌଳିକ ତାଲିମ ପ୍ରଦାନ କରାଯାଉଛି। ଏହି ୧୧ଟି କେନ୍ଦ୍ରରେ ବର୍ଷକୁ ପାଖାପାଖି ୫୦୦୦ ଛାତ୍ରଛାତ୍ରୀଙ୍କୁ ଦକ୍ଷତା ତାଲିମ ପାଉଛନ୍ତି।
ନିକଟରେ ସଂସ୍ଥା ନିରାଶ୍ରୟ ମହିଳାଙ୍କ ପାଇଁ ‘ET WISH’ ନାମରେ ଏକ ପ୍ରକଳ୍ପ ଶୁଭାରମ୍ଭ କରିଛି। ଆଶ୍ରୟସ୍ଥଳରେ ରହୁଥିବା ମହିଳାମାନଙ୍କୁ ଦକ୍ଷତା ବିକାଶ ତାଲିମ ପ୍ରଦାନ କରି ସେମାନଙ୍କ ସାମାଜିକ ଏବଂ ଆର୍ଥିକ ସ୍ଥିତି ସୁଦୃଢ କରିବାକୁ ଏହି ପ୍ରକଳ୍ପ ଲକ୍ଷ୍ୟ ରଖିଛି। ଏହି କାର୍ଯ୍ୟକ୍ରମ ଅଧିନରେ ସୂଚନା ଓ ପ୍ରଯୁକ୍ତିବିଦ୍ୟା, ସଫ୍ଟ ସ୍କିଲ, ସାକ୍ଷରତା ଏବଂ ଅତିଥିସତ୍କାର ଆଦିରେ ବିଷୟଗତ ଏବଂ ବ୍ୟବହାରିକ ଜ୍ଞାନ ସମ୍ପର୍କରେ ତାଲିମ ଦିଆଯାଉଛି। ସବୁଠାରୁ ବଡ କଥା ହେଉଛି ଏହି କାର୍ଯ୍ୟକ୍ରମରେ ତାଲିମପ୍ରାପ୍ତ ୨୭ଜଣଙ୍କ ମଧ୍ୟରୁ ୨୬ଜଣ ବିଭିନ୍ନ ହୋଟେଲ ଏବଂ ହସ୍ପିଟାଲରେ ନିଯୁକ୍ତି ପାଇଛନ୍ତି।

ଅଧିକ ଜାଣିବା ପାଇଁ www.yousucceed.co.in କୁ ଯାଆନ୍ତୁ।


Employer

ଆବେ ୱେଷ୍ଟ ସର୍ଭିସେସ

ଦକ୍ଷ ଅଧିକାରୀ

ଶ୍ରୀମତି ଜିତାମିତ୍ର ଶତପଥୀ

‘ଉପଯୁକ୍ତ ମାର୍ଗଦର୍ଶନ ଏବଂ ଉତ୍ତମ ଅଭ୍ୟାସ ଦ୍ଵାରା ଓଡ଼ିଶାର ଯୁବଗୋଷ୍ଠୀ ନିଶ୍ଚିତ ବିଶ୍ବରେ ଶ୍ରେଷ୍ଠ ହୋଇପାରିବେ।’

ଆଇଟିଆଇ ଭୁବନେଶ୍ବରର ଅଧ୍ୟକ୍ଷ ଶ୍ରୀମତି ଜିତାମିତ୍ର ଶତପଥୀଙ୍କ ମତରେ ଯେକୌଣସି ବୃତ୍ତି ପାଇଁ ସ୍କିଲ୍ ନିତ୍ୟାନ୍ତ ଆବଶ୍ୟକ, ଏହା କେବଳ ଆଇଟିଆଇ କିମ୍ବା ପଲିଟେକନିକ୍ ପାଠ୍ୟକ୍ରମରେ ସୀମିତ ରହିବା ଉଚିତ ନୁହେଁ। ତାଙ୍କ ଆତ୍ମବିଶ୍ବାସ ଯେ, ଓଡ଼ିଆ ଯୁବଗୋଷ୍ଠୀ ଯେକୌଣସି କ୍ଷେତ୍ରରେ ପରିବର୍ତ୍ତନର ବାର୍ତ୍ତାବହ ସାଜିପରିବେ, ସେମାନଙ୍କୁ ଉତ୍ତମ ଦକ୍ଷତା ତାଲିମ ସହିତ ଉପଯୁକ୍ତ ମାର୍ଗଦର୍ଶନର ଆବଶ୍ୟକତା ରହିଛି; ଯାହା ଦ୍ଵାରା ସେମାନଙ୍କ କାର୍ଯ୍ୟଦକ୍ଷତାର ବିକାଶ ହୋଇପାରିବ। ଦକ୍ଷତାକୁ କ୍ଷେତ୍ରକୁ ଉପଯୁକ୍ତ ଗୁରୁତ୍ଵ ଦିଆଗଲେ ଆଜିର ଯୁବପିଢୀ ‘ସ୍କିଲ୍ଡ ଇନ୍ ଓଡ଼ିଶା’ର ଶ୍ରେଷ୍ଠ ଉଦାହରଣ ଭାବେ ନିଜକୁ ପ୍ରତିପାଦିତ କରିପାରିବା ସହିତ ଗ୍ଲୋବାଲ ବ୍ରାଣ୍ଡରେ ନିଜକୁ ପରିଣତ କରିପାରିବେ। ନିକଟରେ ଶେଷ ହୋଇଥିବା ‘ଓଡ଼ିଶା ସ୍କିଲ୍ସ-୨୦୧୮’ ପ୍ରତିଯୋଗିତାର ଅଭିଜ୍ଞତାକୁ ନେଇ ସେ କହିଛନ୍ତି, ଏହାର ଫଳାଫଳ ଓ କିଛି ନୂଆ କରିବା ପାଇଁ ଯୁବପିଢୀଙ୍କ ମଧ୍ୟରେ ଥିବା ଆଗ୍ରହ ଏବଂ ଏଥିରେ ସେମାନଙ୍କ ପ୍ରଦର୍ଶନ ଦକ୍ଷତା ବିକାଶ ଉପରେ ଥିବା ସେମାନଙ୍କ ବିଶ୍ବାସକୁ ଦର୍ଶାଉଛି। ଦକ୍ଷତା ବିକାଶ ନିଶ୍ଚିତ ଭାବେ ଯେକୌଣସି ବ୍ୟକ୍ତିର ସାମାଜିକ ଏବଂ ଅର୍ଥନୈତିକ ସ୍ଥିତିରେ ବ୍ୟାପକ ସୁଧାର ଆଣିପାରିବ।

ଶ୍ରୀମତି ଶତପଥୀ ଅନେକଗୁଡିଏ ସଫଳତାର ଅଧିକାରିଣୀ। ସେଥିମଧ୍ୟରୁ ଗୋଟିଏ ପ୍ରମୁଖ ସଫଳତା ହେଉଛି ଜଟଣୀ, ଖୁଦୁରପୁରେ ଆଇଟିଆଇ ପ୍ରତିଷ୍ଠା; ଯେଉଁଥିପାଇଁ ସେ ଗର୍ବ ଅନୁଭବ କରନ୍ତି। ରାଜ୍ୟର ଏହା ହେଉଛି ଏକ ମାତ୍ର ଆଇଟିଆଇ, ଯାହା ସ୍ଵତନ୍ତ୍ର ଭାବେ ଦିବ୍ୟାଙ୍ଗମାନଙ୍କ ପାଇଁ ଉଦ୍ଦିଷ୍ଟ। ତାଙ୍କ କହିବା ଅନୁଯାୟୀ, ଏହି ଆଇଟିଆଇର ପ୍ରତିଷ୍ଠା ଓ ଏହାର ପରିଚାଳନା ପାଇଁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା। କିନ୍ତୁ ପରେ ଏହି ଆଇଟିଆଇରୁ ବାହାରୁଥିବା ତାଲିମାର୍ଥୀଙ୍କୁ ମୁଖ୍ୟ ସ୍ରୋତରେ ପ୍ରତିଷ୍ଠିତ ହେଉଥିବା ଦେଖି ଖୁସି ଲାଗେ। ଆଇଟିଆଇ ଭୁବନେଶ୍ବରର ଅଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ତାଙ୍କ ଉଦ୍ୟମରେ ପ୍ରତିଷ୍ଠାନରେ ୫୦୦ଟି ସିଟ୍ ବୃଦ୍ଧି ହୋଇଥିଲା। ପ୍ରତିଷ୍ଠାନରୁ ଉତ୍ତୀର୍ଣ୍ଣ ହେଉଥିବା ସମସ୍ତ ଛାତ୍ରଛାତ୍ରୀ ଉପଯୁକ୍ତ ନିଯୁକ୍ତି ପାଇଲେ ସେ ଖୁସି ଅନୁଭବ କରିଥାନ୍ତି।

ଆଞ୍ଚଳିକ ଏବଂ ବିଶ୍ଵସ୍ତରୀୟ ଦକ୍ଷତା ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କୁ ନେଇ ସେ ବେଶ ଆଶାବାଦୀ ଅଛନ୍ତି। ସେ ସୁନିଶ୍ଚିତ ଯେ ସେମାନେ ବିଜେତା ହୋଇ ଫେରିବେ ଏବଂ ‘ସ୍କିଲ୍ଡ ଇନ୍ ଓଡ଼ିଶା’ର ଗୌରବ ବୃଦ୍ଧି କରିବେ।

officer

ଶ୍ରୀମତି ଜିତାମିତ୍ର ଶତପଥୀ

ଅଧ୍ୟକ୍ଷ, ଆଇଟିଆଇ ଭୁବନେଶ୍ବର

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।