ନାନୋ ୟୁନିକର୍ଣ୍ଣ

ବ୍ୟବସାୟିକ ମନୋବୃତ୍ତି ଥିବା କୁଶଳୀ ଯୁବପିଢିଙ୍କୁ ଉଚିତ ମାର୍ଗରେ ପରିଚାଳିତ କରି ସଫଳ କ୍ଷୁଦ୍ର ଶିଳ୍ପଦ୍ୟୋଗୀରେ ପରିଣତ କରିବା ସହ ତୃଣମୂଳସ୍ତରରେ ସେମାନଙ୍କ ଦ୍ଵାରା ନିଯୁକ୍ତି ସୃଷ୍ଟି କରିବା ହେଉଛି ନାନୋ ୟୁନିକର୍ଣ୍ଣର ଲକ୍ଷ୍ୟ। ଏହି କାର୍ଯ୍ୟକ୍ରମରେ ଦକ୍ଷତାପ୍ରାପ୍ତ ଯୁବକ ଯୁବତୀମାନଙ୍କୁ ବ୍ୟବସାୟର ବିଭିନ୍ନ ଦିଗ ସମ୍ପର୍କରେ ତାଲିମ ପ୍ରଦାନ କରାଯିବା ସହ ନିଜର ଉଦ୍ୟୋଗ ଆରମ୍ଭ କରିବା ପାଇଁ ଆର୍ଥିକ ସମ୍ବଳ ଯୋଗାଇ ଦିଆଯାଇଥାଏ। ଏଥିପାଇଁ ମନୋନୀତ ହୋଇଥିବା ଯୁବକ ଯୁବତୀମାନଙ୍କୁ ଏକ ସପ୍ତାହ ଧରି ବ୍ୟବସାୟର ବିଭିନ୍ନ ଦିଗ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥାଏ। ପରେ ସେମାନଙ୍କୁ ବ୍ୟବସାୟ ଆରମ୍ଭ କରିବା ପାଇଁ ପ୍ରାୟ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୂଳଧନ ଏହି କାର୍ଯ୍ୟକ୍ରମ ଅଧୀନରେ ପ୍ରଦାନ କରାଯାଇଥାଏ। ୨୦୧୭-୧୮ରେ ୧୦୦ଜଣ, ୨୦୧୮-୧୯ରେ ୧୦୦୦ଜଣ ଓ ୨୦୧୯-୨୦ରେ ୩୦୦୦ଜଣ ଉଦ୍ୟୋଗୀଙ୍କୁ ଏହି ଯୋଜନା ଅଧୀନରେ ସହାୟତା କରିବାକୁ ଯୋଜନା କରାଯାଇଛି।

କେବଳ ଆର୍ଥିକ ସହଯୋଗ ନୁହେଁ, ଯୁବଗୋଷ୍ଠୀଙ୍କୁ ସଫଳ କ୍ଷୁଦ୍ର ଶିଳ୍ପଦ୍ୟୋଗୀରେ ପରିଣତ କରିବା ନାନୋ ୟୁନିକର୍ଣ୍ଣର ଉଦ୍ଦେଶ୍ୟ। ଏହି ବ୍ୟବସାୟଗୁଡିକ ମାଧ୍ୟମରେ ଏକରୁ ଦୁଇ ବର୍ଷ ମଧ୍ୟରେ ଅତିକମରେ ଦୁଇ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ହେଉଛି ନାନୋ ୟୁନିକର୍ଣ୍ଣ ଯୋଜନାର ଅନ୍ୟ ଏକ ଲକ୍ଷ୍ୟ।

ପ୍ରକ୍ରିୟା

  • 1

    ଯୋଗ୍ୟତା

    ଆଶାୟୀ ପ୍ରାର୍ଥୀ ଆଇଟିଆଇ ତାଲିମପ୍ରାପ୍ତ କିମ୍ବା ଯେକୌଣସି ତାଲିମ ସହଯୋଗୀଙ୍କ ଠାରୁ ମାନ୍ୟତାପ୍ରାପ୍ତ ପାଠ୍ୟକ୍ରମରେ ଶିକ୍ଷାଲାଭ କରିଥିବା ଆବଶ୍ୟକ ଏବଂ ଭାବୀ ଉଦ୍ୟୋଗୀ ଭାବେ ଆଇଟିଆଇ କିମ୍ବା ତାଲିମ ସହଯୋଗୀଙ୍କ ଦ୍ଵାରା ସୁପାରିସ ହୋଇଥିବା ଆବଶ୍ୟକ।

  • 2

    ଚୟନ

    ଉନ୍ନତ ବ୍ୟବସାୟ ଜ୍ଞାନ ଥିବା ଉପଯୁକ୍ତ ପ୍ରତିଭାଙ୍କୁ ଆଇଟିଆଇ କିମ୍ବା ତାଲିମ ସହଯୋଗୀ ଚିହ୍ନଟ କରିପାରିବେ। ଏଥିସହିତ ଚିହ୍ନଟ ପ୍ରତିଭାଙ୍କୁ ସେମାନେ ତାଲିମ ଦେବେ। ପ୍ରାର୍ଥୀଙ୍କ ବ୍ୟବସାୟ ଯୋଜନାର ଲକ୍ଷ୍ୟ ୨ ବର୍ଷ ମଧ୍ୟରେ ଅତିକମରେ ୨ରୁ ୩ ଜଣଙ୍କୁ ନିଯୁକ୍ତି ଦେଇପାରିବା ଯୋଗ୍ୟ ହୋଇଥିବା ଜରୁରୀ।

  • 3

    ତାଲିମ

    ପ୍ରାର୍ଥୀଙ୍କୁ ସପ୍ତାହେ ବ୍ୟାପୀ ଉଦ୍ୟୋଗୀତା ବିକାଶର ବିଭିନ୍ନ ଦିଗ ସମ୍ପର୍କରେ ତାଲିମ ଦିଆଯିବ। ଯଦି ଆବଶ୍ୟକ ପଡେ ସେମାନଙ୍କ ବ୍ୟବସାୟ ଯୋଜନା ସମ୍ପର୍କରେ ପୁନଃଆଲୋଚନା କରାଯିବ। ତାଲିମ ସମୟରେ ପୂର୍ବରୁ ସେଇ ସମ୍ବନ୍ଧୀୟ ବ୍ୟବସାୟରେ ସଫଳ ହୋଇଥିବା ଉଦ୍ୟୋଗୀଙ୍କ ସହିତ ତାଲିମାର୍ଥୀଙ୍କ ସାକ୍ଷାତ କରାଯିବ। ଯାହାଦ୍ୱାରା ତାଲିମାର୍ଥୀଙ୍କ ମଧ୍ୟରେ ବ୍ୟବହାରିକ ଜ୍ଞାନର ବିକାଶ ହେବ। ତାଲିମ ଶେଷ ପର୍ଯ୍ୟାୟରେ ଏକ ମୁକ୍ତ ପ୍ରତିଯୋଗିତାରେ ପାର୍ଥୀମାନେ ନିଜ ବ୍ୟବସାୟ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ନିଜର ମତ ରଖିବେ।

  • 4

    ଅନୁଦାନ

    ମୁକ୍ତ ପ୍ରତିଯୋଗିତାରେ କୃତି ତାଲିମାର୍ଥୀମାନଙ୍କୁ ବିନା ଗ୍ୟାରେଣ୍ଟିରେ ଗୋଟିଏ ପୃଷ୍ଠାର ଚୁକ୍ତିନାମା ସ୍ଵାକ୍ଷର କରି ୧ ଲକ୍ଷ ଟଙ୍କାର ଅନୁଦାନ ରାଶି ଦିଆଯିବ। ଏହି ଅନୁଦାନ ରାଶି ବାବଦରେ ପ୍ରଥମ ବର୍ଷ ସେମାନଙ୍କୁ କୌଣସି ଅର୍ଥ ଦେବାକୁ ପଡିବ ନାହିଁ। ଦ୍ଵିତୀୟ ବର୍ଷରେ ଏହାର ୫% ସୁଧ ସେମାନଙ୍କୁ ଦେବାକୁ ହେଉଥିବା ବେଳେ ତୃତୀୟ ବର୍ଷରେ ସର୍ବମୋଟ ଅର୍ଥ ଫେରସ୍ତ ଦେବାକୁ ହେବ। ଯଦି ଏକ ବର୍ଷ ମଧ୍ୟରେ ସେମାନେ ସମସ୍ତ ଅର୍ଥ ଫେରସ୍ତ କରି ଦିଅନ୍ତି ତେବେ ସେମାନଙ୍କୁ କୌଣସି ସୁଧ ଦେବାକୁ ପଡିବ ନାହିଁ।

  • 5

    ବ୍ୟବସାୟ ଆରମ୍ଭ

    ପ୍ରାର୍ଥୀମାନେ ଏହି ଅନୁଦାନ ରାଶି ବିନିଯୋଗ କରି ନିଜର ବ୍ୟବସାୟ ଆରମ୍ଭ କରିବେ ଏବଂ ନିଜକୁ ନାନୋ ୟୁନିକର୍ଣ୍ଣର ସଫଳ ଉଦାହରଣ ବନେଇବେ। ପ୍ରାରମ୍ଭିକ ପର୍ଯ୍ୟାୟରେ ବ୍ୟବସାୟକୁ ଉଚିତ ମାର୍ଗରେ ପରିଚାଳିତ କରିବା ପାଇଁ ଜଣେ ସ୍ଥାନୀୟ ମାର୍ଗଦଶକଙ୍କୁ ନିଯୁକ୍ତ କରାଯିବ। ପ୍ରତି ତିନିମାସରେ ଥରେ ଏହା ସମୀକ୍ଷା କରାଯିବା ସହ ଆଗାମୀ ପଦକ୍ଷେପ କିମ୍ବା ପରିବର୍ତ୍ତନ ସମ୍ପର୍କରେ ଆଲୋଚନା କରାଯିବ। ଓଏସଡ଼ିଏର ଏକ ପ୍ରତିନିଧି ଦଳ ପ୍ରତ୍ୟେକ ବ୍ୟବସାୟ କ୍ଷେତ୍ରକୁ ଗସ୍ତ କରିବେ ଏବଂ ଅନ୍ୟ ନାନୋ ୟୁନିକର୍ଣ୍ଣମାନଙ୍କ ସହ ସମ୍ପର୍କ ଯୋଡିବାକୁ ଉତ୍ସାହିତ କରିବେ।

  • 6

    ନାନୋ ୟୁନିକର୍ଣ୍ଣ ଯୋଜନାର ଲକ୍ଷ୍ୟ

    ପ୍ରତ୍ୟେକ ଉଦ୍ୟୋଗୀଙ୍କୁ ସେମାନଙ୍କ ସ୍ଵପ୍ନ ପୁରଣରେ ସହଯୋଗ କରିବା ସହ ଆତ୍ମନିର୍ଭରଶୀଳତାର ନୂଆ ପରିଚୟ ସୃଷ୍ଟି କରିବା।

  • 7

    ନଲେଜ୍ ହବ୍

    ନଲେଜ୍ ହବ୍ ଏହି ଯୋଜନାର ଅନ୍ୟ ଏକ ମୁଖ୍ୟ ଅଂଶ। ଏଥିରେ ଉଦ୍ୟୋଗୀମାନଙ୍କ ସଫଳତା ଯାତ୍ରାର କାହାଣୀ ଓ ଗାଥାକୁ ସଂରକ୍ଷିତ କରି ରଖାଯିବ। ଯାହା ଏକ କେସଷ୍ଟଡି ଭାବେ କାର୍ଯ୍ୟରେ ଲାଗିବ। ନାନୋ ୟୁନିକର୍ଣ୍ଣମାନଙ୍କର ତ୍ରୈମାସିକ ବୈଠକ ଏହି ନଲେଜ୍ ହବକୁ ସମୃଦ୍ଧ କରିବ।

  • 8

    ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସଫଳତା

    ଓଏସଡ଼ିଏ ପକ୍ଷରୁ ୨୦୧୭ ଜୁଲାଇ ମାସରେ ଆରମ୍ଭ ହୋଇଥିବା ଏହି ଯୋଜନା ଦ୍ଵାରା ୨୦୧୭ ଡିସେମ୍ବର ମାସ ସୁଦ୍ଧା ୫୭ ଜଣ ଉଦ୍ୟୋଗୀ ଉପକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଆର୍ଥିକ ସ୍ବଚ୍ଛଳ ନଥିବା ପରିବାରରୁ ଆସି ମଧ୍ୟ ନିଜ ଦୃଢ ବଦ୍ଧପରିକରତା ଦେଖାଇଛନ୍ତି। ସଫଳ ଉଦ୍ୟୋଗୀ ହେବା ପାଇଁ ସେମାନେ ଦେଖିଥିବା ସ୍ଵପ୍ନ ତାଙ୍କ ପରିବାର ସୁଖ ଓ ସମୃଦ୍ଧି ବୃଦ୍ଧିରେ ସହାୟକ ହୋଇଛି। ନିଜ ପରିବାରକୁ ଗର୍ବିତ କରିବା ସହ ଆସୁଥିବା ନୂଆ ଉଦ୍ୟୋଗୀଙ୍କୁ ଉଚିତ ମାର୍ଗ ଦେଖାଇବା ପାଇଁ ସେମାନଙ୍କ ମଧ୍ୟରୁ ଅଧିକାଂଶ ବର୍ତ୍ତମାନ ପ୍ରସ୍ତୁତ।

ଆପଣଙ୍କ ପ୍ରଶ୍ନ ପଠାନ୍ତୁ

ଆପଣ ଜାଣିବାକୁ ଚାହୁଁଥିବା ପ୍ରଶ୍ନର ଯଦି କୌଣସି ଉତ୍ତର ନପାନ୍ତି, ତେବେ ଆମ ପାଖକୁ ସିଧାସଳଖ ଲେଖନ୍ତୁ।

captcha image
loading
ଆପଣଙ୍କ ପ୍ରଶ୍ନ ପଠାନ୍ତୁ
rotate

ବର୍ତ୍ତମାନ ଏହି ୱେବସାଇଟକୁ ଲାଣ୍ଡସ୍କେପ୍ ମୋଡରେ ଦେଖି ହେବନାହିଁ। ସଠିକ ଭାବେ ଦେଖିବାକୁ ପୋଟ୍ରେଟ୍ ମୋଡରେ ରଖନ୍ତୁ।