ରୀନା ବାଘ

ୱେଲ୍ଡିଂ

ରୀନା ବାଘ

ୱେଲ୍ଡିଂ ଦୋକାନରୁ ନାସା ହ୍ୟୁମାନ ଏକ୍ସପ୍ଲୋରେସନ୍‌ ରୋଭର ଚାଲେଞ୍ଜ ୨୦୨୦

ଜୀବନ ନୁହେଁ;ବରଂ ସ୍ୱପ୍ନ ବଡ ହେବା ଦରକାର । ଏହି କଥାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ଭୁବନେଶ୍ୱରରେ ରହୁଥିବା ରୀନା ବାଘ । ବୟସ ପାଖାପାଖି ୧୮ ହେବ । ଦିନେ ପେଟ ପାଇଁ ରାଜଧାନୀର ଏକ ୱେଲ୍ଡିଂ ଦୋକାନରେ କାମ କରୁଥିବା ରୀନା ଆଜି ସ୍ୱପ୍ନ ଦେଖୁଛନ୍ତି ନାସା ଭଳି ବଡ ବ୍ରାଣ୍ଡ୍‌ ସହ କାମ କରିବା ପାଇଁ । ରୀନାଙ୍କ ଏହି ସ୍ୱପ୍ନର ଯାତ୍ରା କିନ୍ତୁ ଏତେ ସହଜ ନଥିଲା । ସେ ବି ସଂଘର୍ଷ କରିଛନ୍ତି । ଘାତ ପ୍ରତିଘାତର ସମ୍ମୁଖୀନ ହୋଇଛନ୍ତି ହେଲେ ହାରି ନାହାନ୍ତି ।

ବୌଦ୍ଧର ପଉକା ନାମକ ଏକ ନିପଟ ମଫସଲ ଗାଁରେ ଜନ୍ମ ରୀନାଙ୍କର । ପିଲାବେଳୁ ବାପାଙ୍କୁ ହରାଇଥିବା ରୀନା ୫ ଭାଇ ଭଉଣୀରେ ତୃତୀୟ । ଉପରେ ଥିବା ବଡ ଦୁଇ ଭାଇ ପର ଘରେ ମୂଲ ଲାଗିଲେ ରୀନାଙ୍କ ପରିବାର ଚଳେ । ତେଣୁ ଘର ଲୋକଙ୍କ ପକ୍ଷେ ତାଙ୍କୁ ପାଠ ପଢାଇ ବଡ ସ୍ୱପ୍ନ ଦେଖାଇବାର ସାହାସ    ନଥିଲା । ଏମିତିରେ ରୀନା ଶଗଡାସ୍ଥିତ ଜଗନ୍ନାଥ ହାଇସ୍କୁଲରେ ନିଜର ମାଟ୍ରିକ ପାଠ ଶେଷକରି ଭୁବନେଶ୍ୱର ପଳାଇ ଆସିଲେ । ଆଉ ମହର୍ଷି କଲେଜରେ ଯୁକ୍ତ ଦୁଇ କଳାରେ ନାମ ଲେଖାଇଲେ । ୨୦୨୦ ମେ ମାସରେ ଯୁକ୍ତ ଦୁଇ ଶେଷ ବର୍ଷ ପରୀକ୍ଷା ଦେବାର ସମୟ ଚାଲିଥାଏ । ଅନ୍ୟ ପିଲାଙ୍କ ଭଳି ରୀନା ବି ପରୀକ୍ଷା     ଦେଲେ । ହେଲେ ପରୀକ୍ଷା ଶେଷ ହେବା ପୂର୍ବରୁ କରୋନା ଗ୍ରାସୀ ସାରିଥାଏ ସାରାଦେଶକୁ । ଅଚାନକ ଭାବେ ପାଠପଢାରେ ଡୋରି ବନ୍ଧା ହେଲା । ଭାଇମାନଙ୍କର ପର ଘରେ ମୂଲ ଲାଗିବାର ବି ବନ୍ଦ ହୋଇଗଲା । ପରିବାର ତ ଦୂରର କଥା ନିଜ ପେଟ ପାଇଁ ସଂଘର୍ଷ କରିବାକୁ ହେଲା ରୀନାଙ୍କୁ ।

ବେଳେବେଳେ ପ୍ରତିକୂଳ ପରିସ୍ଥିତି ନୂଆ ସମ୍ଭାବନାକୁ ବାଟ କଢାଏ । ରୀନାଙ୍କ ପାଇଁ ବି ସମାନ ସୁଯୋଗ ସୃଷ୍ଟି ହେଲା । ଚନ୍ଦ୍ରଶେଖରପୁରସ୍ଥିତ ଭଞ୍ଜ ଇଞ୍ଜିନିୟରିଂ ୱାର୍କସପ୍‌ରେ କାମ କଲେ ରୀନା । ୱେଲ୍ଡିଂ କଣ ଜାଣି ନଥିବା ରୀନା କିନ୍ତୁ ମାତ୍ର ୮ ମାସ ଭିତରେ ମାତ୍ର ଏଥିରେ ଧୂରୀଣ ହୋଇଗଲେ । ଯେତେବେଳେ ଏହା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପାଖରେ ପହଞ୍ଚିଲା ସେତେବେଳେ ସେମାନେ ରୀନାଙ୍କୁ ଭୁବନେଶ୍ୱର ସରକାରୀ ଆଇଟିଆଇରେ ନାମ ଲେଖାଇବା ବ୍ୟବସ୍ଥା କରିବା ପାଇଁ ସରକାରୀ ଆଇଟିଆଇର ଅଧ୍ୟକ୍ଷାଙ୍କୁ ନିର୍ଦ୍ଦେଶ ଦେଲେ । ଏମିତିରେ ଭୁବନେଶ୍ୱର ପାୱାରହାଉସ ଛକ  ସ୍ଥିତ  ସରକାରୀ ଆଇଟିଆଇରେ ନାମ ଲେଖା ହେଲା ରୀନାର । ସେତିକିରେ ଅଟକିଲାନି ରୀନାର ସଫଳତାର ପାହାଚ । ପରେ ସରକାରୀ ଆଇଟିଆଇ ଅଧ୍ୟକ୍ଷାଙ୍କ ସହଯୋଗରେ ନାସା ହ୍ୟୁମାନ ଏକ୍ସପ୍ଲୋରେସନ୍‌ ରୋଭର ଚାଲେଞ୍ଜ ୨୦୨୦ରେ ଭାଗ ନେବାର ସୁଯୋଗ ବି ମିଳିଲା ତାଙ୍କୁ । ଯଦିଓ କରୋନା ପାଇଁ ରୀନାଙ୍କ ନାସା ଯିବାର ସ୍ୱପ୍ନ ଅଧୁରା ରହିଗଲା । ହେଲେ ସାଥୀ ସହଯୋଗୀଙ୍କ ସହ ମିଶି ପ୍ରସ୍ତୁତ ହୋଇଥିବା ରୋଭର ସାରାଦେଶରେ ତୃତୀୟ ସ୍ଥାନ ଅଧିକାର କଲା । ଏବେ ରୀନା ସରକାରୀ ଆଇଟିଆଇରେ ପାଠ ପଢୁଥିବା ବେଳେ ଆଗକୁ ଡିପ୍ଲୋମା ପଢିବାକୁ ଲକ୍ଷ୍ୟ ରଖିଛନ୍ତି । ଆଉ ଦିନେ ନାସା ଭଳି ବ୍ରାଣ୍ଡ୍‌ ସହ କାମ କରିବାକୁ ସ୍ୱପ୍ନ ବି ଦେଖୁଛନ୍ତି ।

କପି ସଂରକ୍ଷିତ ©2024 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ

ପ୍ରଶ୍ନ ପଚାରନ୍ତୁ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ