ଫୋକସରେ

ସାହାନା ପୋଷାକ କମ୍ପାନୀ

ସାହାନା ପୋଷାକ କମ୍ପାନୀ

ଶ୍ରେଷ୍ଠ ତାଲିମଦାତା

ସାହାନା ପୋଷାକ କମ୍ପାନୀ ଭାରତର ଏକ ବଡ଼ ପୋଷାକ ଉତ୍ପାଦନକାରୀ କମ୍ପାନୀ ମଧ୍ୟରେ ଅନ୍ୟତମ। ଏହା ୧୯୮୪ ମସିହାରେ ପ୍ରତିଷ୍ଠା ହୋଇଥିଲା । ବୟନ ଶିଳ୍ପ କ୍ଷେତ୍ରରେ ସଂସ୍କାର ଆଣିବା ଲକ୍ଷ୍ୟ ନେଇ ଏହି କମ୍ପାନୀ କାର୍ଯ୍ୟ କରୁଛି । ଏହି ବୟନ ଶିଳ୍ପ  କମ୍ପାନୀକୁ ୫୦ ବର୍ଷର ଅଭିଜ୍ଞତା ଥିବା  ଶ୍ରୀ ଏନ.କ୍ରିଷ୍ଣସ୍ୱାମୀ (Sri N. Krishnaswamy)  ଆରମ୍ଭ କରିଥିଲେ। ଆଜିର ଦିନରେ ସାହାନା  ପୋଷାକ କମ୍ପାନୀ କେବଳ ଯେ ପୋଷାକ ପ୍ରସ୍ତୁତ କରୁଛି ତାହା ନୁହେଁ, ପୋଷାକ ପ୍ରସ୍ତୁତି ସହ ବିଶ୍ୱ ବ୍ୟବସାୟ ଦୁନିଆରେ ନିଜର  ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଛି ।

ଗ୍ରାହକଙ୍କ ସନ୍ତୁଷ୍ଟି ଉପରେ ନିର୍ଦ୍ଦିଷ୍ଟ ଧ୍ୟାନ ଦେଇ ଆମେ ଏକ ବିଶ୍ୱସ୍ତ ଏବଂ ଦକ୍ଷ ଉତ୍ପାଦକ ଭାବରେ ସର୍ବଭାରତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ହୋଇପାରିଛୁ । ଏହା ସହ ସାହାନା କମ୍ପାନୀ ସର୍ବଦା ସାମାଜିକ ଏବଂ ପରିବେଶ ଉପଯୋଗୀ ଅଭ୍ୟାସ ଉପରେ ଗୁରୁତ୍ୱ ଦେଇ ଆସୁଛି | ଆମର ପ୍ରମୁଖ ବାଣିଜ୍ୟ ସହଭାଗୀ ଦେଶଗୁଡ଼ିକ ହେଉଛି ଆମେରିକା, ହଂକଂ, ଜର୍ମାନୀ, ଏବଂ ସିଙ୍ଗାପୁର | ଆମେ ସର୍ବଦା ନୂଆ ଡିଜାଇନ୍, ସୃଜନଶୀଳତା, ପ୍ରଯୁକ୍ତିବିଦ୍ୟା,ଗୁଣବତ୍ତା ଏବଂ ବିଶ୍ୱ ବଜାର ସ୍ଥିତିକୁ ବିଶ୍ଳେଷଣ  କରି କାମ କରିଆସୁଛୁ । ଆମେ ସବୁବେଳେ  ଗୁଣବତ୍ତା ଏବଂ ଉତ୍କର୍ଷତା ଉପରେ ବିଶ୍ୱାସ କରୁ। ଆତ୍ମନିର୍ଭରଶୀଳତା ଆମ ବ୍ୟବସାୟର ମୂଳ ଲକ୍ଷ୍ୟ ଅଟେ |

ସାହାନା ସବୁବେଳେ ଲିଙ୍ଗଗତ ଅସମାନତାକୁ ଦୃଢ଼ ଭାବେ ବିରୋଧ କରେ । ଆମ ସହ ୮୦%ରୁ ଅଧିକ ମହିଳା କର୍ମଚାରୀ କାମ କରୁଛନ୍ତି ।  ଏହା ସହ ମହିଳା ସଶକ୍ତିକରଣକୁ ସବୁବେଳେ ସମର୍ଥନ କରିଆସୁଛି କମ୍ପାନୀ । ବୃତ୍ତିଗତ ଭାବରେ ଏବଂ ବ୍ୟକ୍ତିଗତ ସ୍ତରରେ ମହିଳାମାନଙ୍କୁ ସେମାନଙ୍କ ଲକ୍ଷ୍ୟ ସ୍ତରରେ  ପହଞ୍ଚାଇବାକୁ ଆମେ ସର୍ବଦା ସମର୍ଥନ କରିଆସୁଛୁ | ଆମେ ମହିଳାମାନଙ୍କୁ ସାମାଜିକ ପ୍ରତିବନ୍ଧକକୁ ଭାଙ୍ଗିବାକୁ ସମର୍ଥନ କରୁଛୁ | ମହିଳାମାନେ ସବୁ କିଛି ହାଲୁକା ଭାବେ ଗ୍ରହଣ କରିବା ଉଚିତ ନୁହେଁ ସେମାନେ ସର୍ବଦା ସବୁ କ୍ଷେତ୍ରରେ  ଆହ୍ୱାନ ଗ୍ରହଣ କରିବା ଉଚିତ୍ ବୋଲି ଆମେ ବିଶ୍ୱାସ କରୁ। କାର୍ଯ୍ୟ କରିବା ଏବଂ ଶିକ୍ଷଣୀୟ ବାତାବରଣ ସୃଷ୍ଟି କରିବା ପାଇଁ  କାର୍ଯ୍ୟକ୍ଷେତ୍ରକୁ ଉତ୍କୃଷ୍ଟ  ସ୍ଥାନ ଭାବେ ଗଢିବା ପାଇଁ ଆମେ କ୍ରମାଗତ ଭାବରେ କାର୍ଯ୍ୟକ୍ଷେତ୍ରର ବିକାଶ କରୁଛୁ । ଏଥି ସହ କର୍ମଚାରୀଙ୍କ ସୃଜନଶୀଳତାକୁ ମଧ୍ୟ ସବୁ ସମୟରେ ଗ୍ରହଣ କରୁଛୁ ।

ବୟନଶିଳ୍ପ ଏକ ନିଯୁକ୍ତିଦାତା ବଜାର ନୁହେଁ। ବର୍ତ୍ତମାନ ଏହା ଏକ କର୍ମଚାରୀଙ୍କ ବଜାର ପାଲଟିଯାଇଛି । ତେଣୁ ଏହି ଶିଳ୍ପରେ ପ୍ରତ୍ୟେକ କମ୍ପାନୀ ବଜାରରେ ଭଲ ପ୍ରଦର୍ଶନ କରିବା ପାଇଁ ତାଙ୍କ କର୍ମଚାରୀଙ୍କ ଉପରେ ଅଧିକ ନିର୍ଭରଶୀଳ ବୋଲି ସାହାନା ପୋଷାକ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଶ୍ରୀ କେ.ପ୍ରଭୁ ଶାନକେର୍ (Mr. K.Prabhu Shanaker ) ବିଶ୍ୱାସ କରନ୍ତି | ଯେଉଁ ଯୁବ ଆଶାୟୀଙ୍କ ନିକଟରେ ଆଗକୁ ବଢିବା ରୋଜଗାର କରିବା ପାଇଁ ସ୍ୱପ୍ନ ଓ ଇଚ୍ଛା ଅଛି ସାହାନା ସେମାନଙ୍କ ଦକ୍ଷତାକୁ ଚିହ୍ନଟ କରି ସେମାନଙ୍କୁ ଆଗକୁ ବଢିବା ପାଇଁ ସହାୟତା କରୁଛି ।

ଜଣେ ପ୍ରମୁଖ ନିଯୁକ୍ତିଦାତା ହିସାବରେ ସାହାନା ଗୁଣାତ୍ମକ ଶିଳ୍ପ ତାଲିମ ପ୍ରଦାନ କରୁଛି। ସିଲେଇ ମେସିନ ଶିଖାଇବା ଏବଂ ଅନ୍ୟାନ୍ୟ ଟେକ୍ସଟାଇଲ୍ ସମ୍ବନ୍ଧୀୟ ଟ୍ରେଡରେ ପ୍ରଶିକ୍ଷଣ ପ୍ରଦାନ କରୁଛି। ଶିଳ୍ପ ପ୍ରତି ଆକୃଷ୍ଟ କରିବା ପାଇଁ ସାହାନା ତାହାର ଅତ୍ୟାଧୁନିକ ପ୍ରଶିକ୍ଷଣ କେନ୍ଦ୍ରରେ ବିଶେଷ କରି ମହିଳା ମାନଙ୍କ ପାଇଁ  ପ୍ରଶିକ୍ଷଣ ବ୍ୟବସ୍ଥା କରିଛି । ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା  ଦକ୍ଷତା ବିକାଶ ତାଲିମ ମାଧ୍ୟମରେ ଯୁବକମାନଙ୍କର ରୋଜଗାର କ୍ଷମତା ବୃଦ୍ଧି କରିବା ଓ ସେମାନଙ୍କୁ ସଶକ୍ତ କରିବା ଭଳି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆମେ  ବିଶେଷ ଭାବେ ଗୁରୁତ୍ୱ ଦେଇଥାଉ ।

ଓଡ଼ିଶାର ଭୁବନେଶ୍ୱରରେ ସାହାନା ବୈଷୟିକ ପୋଷାକ ପ୍ରତିଷ୍ଠାନ ସ୍ୱଳ୍ପ ମିଆଦି ଏବଂ ଦୀର୍ଘ ମିଆଦି ତାଲିମ ପ୍ରଦାନ କରୁଛି। ଏଠାରେ ତାଲିମ ନେବା ପରେ ପରବର୍ତ୍ତୀ ସମୟରେ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ  ଏହାର କଳକାରଖାନାରେ ମଧ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି। ଆଜି ପର୍ଯ୍ୟନ୍ତ ଆମେ ୩୫୦ ଜଣ ବ୍ୟକ୍ତିଙ୍କୁ ତାଲିମପ୍ରାପ୍ତ କରାଇ ନିଯୁକ୍ତି ଦେଇଛୁ। ଆଗାମୀ ଦିନରେ ୫ ହଜାର ଯୁବକଙ୍କୁ ତାଲିମ ଦେବା ସହ ନିଯୁକ୍ତି ଦେବାକୁ ଲକ୍ଷ୍ୟ ରଖିଛୁ । ବୈଷୟିକ ପ୍ଲାଟଫର୍ମରେ ଗ୍ରାମାଞ୍ଚଳର ଲୋକଙ୍କ ଦକ୍ଷତା ବିକାଶ କରି ସେମାନଙ୍କୁ ସଶକ୍ତ କରିବାରେ ସାହାନା ବୈଷୟିକ ପୋଷାକ ପ୍ରତିଷ୍ଠାନ ଦକ୍ଷ ଅଟେ। ଏକ ନିଆରା ସଂସ୍କୃତି ସହିତ ଏକ ସୁସ୍ଥ ସମ୍ପ୍ରଦାୟ ଗଠନ ଦିଗରେ ଆମେ ସର୍ବଦା କଠିନ ପରିଶ୍ରମ କରୁଛୁ ଏବଂ ଏହି  ସଂସ୍କୃତିକୁ ବଜାୟ ରଖିବା ଦିଗରେ ନିରନ୍ତର ପ୍ରୟାସ କରୁଛୁ । ଆମ ଜୀବନରେ ଶିଖିବାର କୌଣସି ନିର୍ଦ୍ଦିଷ୍ଟ ସୀମା ନାହିଁ ବୋଲି ଆମେ ବିଶ୍ୱାସ କରୁ । ଏଣୁ କ୍ରମାଗତ ଭାବେ  ଆମେ ଆମର କାମରୁ  ପରସ୍ପରଠାରୁ କିଛି ନା କିଛି ଶିକ୍ଷା ଗ୍ରହଣ କରୁ ।  ଯାହା ଆମକୁ ଦକ୍ଷତାର ସହିତ କାର୍ଯ୍ୟ କରିବାକୁ ଶକ୍ତି ପ୍ରଦାନ କରିଥାଏ ।

ଝାରସୁଗୁଡା ଇଞ୍ଜିନିୟରିଂ ସ୍କୁଲ

ଝାରସୁଗୁଡା ଇଞ୍ଜିନିୟରିଂ ସ୍କୁଲ

ଶ୍ରେଷ୍ଠ ତାଲିମ ଅନୁଷ୍ଠାନ

 

ପଶ୍ଚିମ ଓଡ଼ିଶାର ପୁରାତନ ତଥା ସୁନାମଧନ୍ୟ ଡିପ୍ଲୋମା ଅନୁଷ୍ଠାନ ମଧ୍ୟରେ ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ଅନ୍ୟତମ । ୧୯୫୫ ମସିହାରୁ ପ୍ରତିଷ୍ଠା ହୋଇଥିବା ଏହି ଅନୁଷ୍ଠାନ ଜେଇଏସ ନାମରେ ବେଶ ପରିଚିତ । ଏହି ବୈଷୟିକ ଶିକ୍ଷାନୁଷ୍ଠାନ ଆଖପାଖରେ ବହୁ ଶିଳ୍ପାନୁଷ୍ଠାନ ରହିଛି । ଅନୁଷ୍ଠାନ ଆରମ୍ଭ ସମୟରେ ତିନୋଟି ବିଭାଗରେ ବାର୍ଷିକ ୧୮୦ ଜଣ ଛାତ୍ରଛାତ୍ରୀ ପାଠ ପଢୁଥିଲେ । ପରେ ଏଠାରେ  ଆଉ ଦୁଇଟି ନୂଆ ବିଭାଗ ଖୋଲିବା ସହ ବର୍ତ୍ତମାନ ୫ଟି ବିଭାଗରେ ବାର୍ଷିକ ୪୨୦ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଗତ ୭ ଦଶନ୍ଧୀ ଧରି ଏହି ଅନୁଷ୍ଠାନ ବହୁ ପ୍ରତିଭାବାନ ମାନବ ସମ୍ୱଳ ସୃଷ୍ଟି କରିବାରେ ସକ୍ଷମ ହୋଇଛି । ଅଧ୍ୟକ୍ଷ  ଶ୍ରୀ ଡି.ଖୁରାଙ୍କ ମତରେ ଏହି ଅନୁଷ୍ଠାନର ଶିକ୍ଷା ବ୍ୟବସ୍ଥା ଫଳାଫଳ ଉପରେ ଆଧାରିତ ହେବା ସହ ପରିବର୍ତ୍ତନଶୀଳ ଟେକ୍ନୋଲୋଜି ସହ ତାଳ ଦେଇ ପାରୁଛି । 

ବିଗତ ଦଶନ୍ଧି ମଧ୍ୟରେ ଅନୁଷ୍ଠାନର ଅତ୍ୟାଧୁନିକ ଭିତ୍ତିଭୂମିର ବିକାଶ ହୋଇଛି । ସୃଜନଶୀଳତା ଏବଂ ନୂତନତ୍ୱକୁ ଭିତ୍ତି କରି ବୃତ୍ତିଗତ ଶିକ୍ଷା ପ୍ରଦାନ କରିବା ସହ ପ୍ରତିଭାବାନ ମାନବ ସମ୍ୱଳ ସୃଷ୍ଟି କରିବାରେ ପ୍ରତିବଦ୍ଧ ଏହି ଅନୁଷ୍ଠାନ । ଉନ୍ନତମାନର  ଜ୍ଞାନ ଆହରଣ ପାଇଁ ଏହା ଏକ ପ୍ରକୃଷ୍ଟ ସ୍ଥାନ ପାଲଟିଛି। ଏଠାରେ ପାଠପଢ଼ା ସହ ସାମାଜିକ ଦାୟିତ୍ୱ ,ମାନବିକ ମୂଲ୍ୟବୋଧ ଏବଂ ସାମାଜିକ ପ୍ରତିବଦ୍ଧତା ସମ୍ପର୍କରେ ଶିକ୍ଷା ପ୍ରଦାନ କରାଯାଏ।  ଏଥିପାଇଁ ବୈଷୟିକ ପ୍ରତିଷ୍ଠାନ ମଧ୍ୟରେ  ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି      ଜେଇଏସ । ଏଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ଦେଶର ପ୍ରତିଷ୍ଠିତ ସରକାରୀ ତଥା ବେସରକାରୀ  ଅନୁଷ୍ଠାନରେ କର୍ମନିଯୁକ୍ତି ପାଇବାରେ ସଫଳ ହୋଇଛନ୍ତି।  ଏହି ବୈଷୟିକ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିଥିବା ଛାତ୍ରଛାତ୍ରୀ ଡିଆରଡିଓ, ଇସ୍ରୋ, ଭାରତୀୟ ରେଳ ବିଭାଗ, ଇନଫୋସିସ୍, ଟାଟା, ନାଲକୋ, ହିଣ୍ଡାଲକୋ, ହାଇକୋର୍ଟ  ଭଳି ଅନେକ ସରକାରୀ  ତଥା ବେସରକାରୀ ସଂସ୍ଥାନରେ ନିଯୁକ୍ତି ସୁଯୋଗ ପାଇପାରିଛନ୍ତି । ଜେଇଏସରେ ଅଧ୍ୟୟନ ପରେ ସାରା ଦେଶରେ ଅନୁଷ୍ଠାନର ନାମକୁ ଗର୍ବିତ କରିଥିବା ମମତା ସାହୁ ରାଜ୍ୟର ପ୍ରଥମ ମହିଳା ଲୋକପାଇଲଟ ଭାବେ ଭାରତୀୟ ରେଳ ବିଭାଗରେ ଚାକିରି କରିଛନ୍ତି। ସେହିପରି ଏଠାରେ ଅଧ୍ୟୟନ କରିଥିବା  ପ୍ରଦୀପ ସେଠ ନାମକ ଆଉ ଜଣେ ଉଦ୍ଦୀୟମାନ ଛାତ୍ର ଶ୍ରୀହରିକୋଟାର ଇସ୍ରୋ ସେଣ୍ଟରରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରୁଛନ୍ତି । ଉନ୍ନତ ତାଲିମପ୍ରାପ୍ତ ଅଧ୍ୟାପକ ଓ ନିଷ୍ଠାପର ଛାତ୍ରଛାତ୍ରୀଙ୍କ ପାଇଁ ଜେଇଏସ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ନିଶ୍ଚିତ ଭାବରେ ଭବିଷ୍ୟତରେ  ବିଭିନ୍ନ ଦିଗରେ ରାଜ୍ୟ ତଥା ଆମ ଦେଶକୁ ଗର୍ବିତ କରିବ ଏଥିରେ ସନ୍ଦେହ ନାହିଁ ।

ଟ୍ରେଣ୍ଟ

ଟ୍ରେଣ୍ଟ

ଶ୍ରେଷ୍ଠ ନିଯୁକ୍ତିଦାତା

ଟାଟା ଗୋଷ୍ଠୀର ଅନ୍ୟତମ ସଫଳ ରିଟେଲ ବ୍ୟବସାୟ ହେଉଛି ଟ୍ରେଣ୍ଟ  ୧୯୯୮ ରେ ସ୍ଥାପିତ ହୋଇଥିବା ଏହି ବ୍ରାଣ୍ଡ ଅଧୀନରେ  ୱେଷ୍ଟସାଇଡ, ଜୁଡିଓ, ଲ୍ୟାଣ୍ଡମାର୍କ, ଉତ୍ସା ଆଦି ଲାଇଫ ଷ୍ଟାଇଲ ଫର୍ମାଟ୍ ରହିଥିବା ବେଳେ ଷ୍ଟାର ବଜାର ଏବଂ ବୁକର ହେଉଛି ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଖାଦ୍ୟ ପ୍ରକାରର ଉତ୍ପାଦର ଫର୍ମାଟ୍ | ବର୍ତ୍ତମାନ ଏହି ଚେନ୍ରେ ଦେଶରେ ପ୍ରାୟ ୩୬୦ଟି ରିଟେଲ ଷ୍ଟୋର ଏବଂ ପ୍ରାୟ ୧୦୦୦୦ କର୍ମଚାରୀ  ଅଛନ୍ତି ୱେଷ୍ଟସାଇଡ ଏହାର ପ୍ରମୁଖ ବ୍ରାଣ୍ଡ ହୋଇଥିବା ବେଳେ ଦେଶରେ ଏହାର ପାଖାପାଖି ୧୬୫ଟି ଷ୍ଟୋର ଅଛି |

ଟ୍ରେଣ୍ଟ ବିଶ୍ଵାସ କରେ ଯେ ଭାରତରେ ଆପ୍ପାରେଲ/ପୋଷାକ କ୍ଷେତ୍ରର ଭବିଷ୍ୟତ ଅତ୍ୟନ୍ତ ଉଜ୍ଜ୍ଵଳ ଏବଂ ଏହି ସୁଯୋଗର ସଦୁପଯୋଗ କରିବା ପାଇଁ କମ୍ପାନୀ ନିଜସ୍ୱ ରଣନୀତି ପ୍ରସ୍ତୁତ କରିଛି, ଯାହାଦ୍ଵାରା ନିଯୁକ୍ତି ଏବଂ ଅଭିବୃଦ୍ଧି ସୁଯୋଗ ବୃଦ୍ଧି ପାଇବ।  ୱେଷ୍ଟସାଇଡ ଏହାର ସମସ୍ତ ଷ୍ଟୋରରେ କାର୍ଯ୍ୟ କରିବା ପାଇଁ ଉଭୟ ପୁରୁଷ ଏବଂ ମହିଳାଙ୍କୁ ସମାନ ସୁଯୋଗ ପ୍ରଦାନ କରିଥାଏ ଏବଂ ନିଯୁକ୍ତି ଆଶାୟୀଙ୍କର ସାମର୍ଥ୍ୟ ଉପରେ ଆଧାର କରି ସେମାନଙ୍କୁ ନିଯୁକ୍ତି ଦେଇଥାଏ |  ୱେଷ୍ଟସାଇଡ NSDC କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ବିଭିନ୍ନ ରାଜ୍ୟରେ ଦକ୍ଷତା ବିକାଶ ସହଯୋଗୀମାନଙ୍କ ସହିତ ଘନିଷ୍ଠ ଭାବରେ କାର୍ଯ୍ୟ କରେ କମ୍ପାନୀର ଜଣେ ବରିଷ୍ଠ ଅଧିକାରୀଙ୍କ ମତରେଓଡିଶାରେ ଯୁବପିଢୀଙ୍କ ଦକ୍ଷତା ବିକାଶ ପାଇଁ ବହୁ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି, ଯାହାକି ଆମକୁ ଓଡିଶାରୁ ଅଧିକରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ କରିବାକୁ ଆଗ୍ରହୀ କରିଛି

 

ଓଡ଼ିଶାର ଯୁବଗୋଷ୍ଠୀଙ୍କ ନିକଟରେ କିଛି ନୂଆ ଶିଖିବାକୁ ପ୍ରବଳ ଇଚ୍ଛାଶକ୍ତି ଏବଂ ଆଗ୍ରହ ଥାଏ ସେମାନେ ନିଜର ପରିଶ୍ରମ ଦ୍ଵାରା  ନିଜଠାରେ ଏବଂ କାର୍ଯ୍ୟ କରୁଥିବା ସ୍ଥାନରେ ପରିବର୍ତ୍ତନ ଆଣିବା ପାଇଁ ସର୍ବଦା ଚେଷ୍ଟିତ ଥାନ୍ତି ସେମାନେ ସମୟ ଅନୁଯାୟୀ ନିଜ ପ୍ରତିଭାର ବିକାଶ  କରିବା ସହ ରିଟେଲ ବ୍ୟବସାୟରେ ଆସୁଥିବା ନୂଆ ନୂଆ ଆହ୍ୱାନ ସାମ୍ନା କରିବାକୁ ଇଚ୍ଛା ପ୍ରକାଶ କରିଥାନ୍ତି | ଉଦାହରଣ ସ୍ୱରୂପ ସୁମତି ନାୟକ ସୁମତି ନିଜ ଅଧ୍ୟବସାୟ ଯୋଗୁଁ  କ୍ୟାରିୟରରେ ଉନ୍ନତି କରି ପାରିଛନ୍ତି ଏବଂ  ଆମ ଷ୍ଟୋରର ଏକ ତାରକା କର୍ମଚାରୀ ହୋଇ ପାରିଛନ୍ତି | ୱେଷ୍ଟସାଇଡ ଅଧିକାରୀଙ୍କ ଅନୁଯାୟୀ, ‘ରିଟେଲ ବ୍ୟବସାୟରେ ରହି ଗ୍ରାହକଙ୍କୁ ସେବା କରିବା ଆମର ମୂଳ ଲକ୍ଷ୍ୟ ଏବଂ ଆମେ ରିଟେଲ ପରିବେଶରେ  ଶୀଘ୍ର ଶିଖିବା ଏବଂ ଅନୁକୂଳ କରିବା ପାଇଁ ନୂତନ ଭାବେ ନିଯୁକ୍ତ ହୋଇଥିବା କର୍ମଚାରୀଙ୍କୁକାର୍ଯ୍ୟ କ୍ଷେତ୍ରରେ ତାଲିମ ଏବଂଆବଶ୍ୟକତା ଆଧାରିତ ତାଲିମ ପ୍ରଦାନ କରୁ। ତାଙ୍କ ପ୍ରତିବଦ୍ଧତା ଏବଂ ଉତ୍ସାହ ଯୋଗୁ ସୁମତି କ୍ୟାରିୟରରେ ଉତ୍କର୍ଷ ପାଇବାରେ ସଫଳ ହୋଇଛନ୍ତି|

କେବଳ ସୁମତି ନୁହେଁ, ୱେଷ୍ଟସାଇଡ୍ରେ ଓଡିଶାର ଅନେକ ଦକ୍ଷ ଯୁବକ ଯୁବତୀ କାର୍ଯ୍ୟ କରୁଛନ୍ତି ଯେଉଁ ମାନେ ନିଜ ପରିଶ୍ରମ ଯୋଗୁ ନିଜ କ୍ୟାରିୟରକୁ  ଦ୍ରୁତ ଭାବରେ ଆଗକୁ ବଢେଇ ପାରିଥିବା ସହ ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ପାରିଛନ୍ତି। ସେହିପରି ଦୁଇଟି ନାମ ହେଲେ  ଡମ୍ବରୁଧର ମାଟାଲି ଏବଂ ଚିନ୍ମୟୀ ଦାସ ଏହି ଦୁଇ ଜଣ ସହାୟକ ଭାବେ ୱେଷ୍ଟସାଇଡରେ ନିଯୁକ୍ତି ପାଇଥିବା ବେଳେ ମାତ୍ର ଦୁଇ ବର୍ଷ ମଧ୍ୟରେ ଅଧିକାରୀ ସ୍ତରକୁ ପଦୋନ୍ନତି ପାଇସାରିଲେଣି

 

ଟ୍ରେଣ୍ଟରେ ଆମେ ବିଶ୍ବାସ କରୁ ଯେ ଆମର ମୂଲ୍ୟବୋଧ ଆମକୁ ସମାଜରେ ଏକ ସ୍ଵତନ୍ତ୍ର ସ୍ଥାନ ହାସଲ କରିବାରେ ସାହାଯ୍ୟ କରିଛି| ଆମେ ଆମର ସମସ୍ତ କର୍ମଚାରୀଙ୍କ ମଧ୍ୟରେ ଏହି ମୂଲ୍ୟବୋଧ ଗୁଡିକୁ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କରୁଛୁ ଯାହାଦ୍ଵାରା ସେମାନେ ଉନ୍ନତ ବ୍ୟକ୍ତିତ୍ଵର ଅଧିକାରୀ ହୋଇପାରିବେ ଏବଂ ଜୀବନରେ ଉନ୍ନତି କରିପାରିବେ ଆମ ପାଖରେ ଏପରି ବହୁତ ସହକର୍ମୀଙ୍କ ଜୀବନ୍ତ ଉଦାହରଣ ଅଛି, ଯେଉଁମାନେ ବିକ୍ରୟ ସହଯୋଗୀ ଭାବରେ ରିଟେଲ ବ୍ୟବସାୟ ଆରମ୍ଭ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ପରିଚାଳକ ସ୍ତରରେ ପହଞ୍ଚି ପାରିଛନ୍ତି ଆଗାମୀ ଦିନରେ ୱେଷ୍ଟସାଇଡ ଏହାର ଷ୍ଟୋର ମାନଙ୍କରେ ଅଧିକରୁ ଅଧିକ ଓଡିଶାର ଦକ୍ଷ ଯୁବଗୋଷ୍ଠୀଙ୍କୁ ନିଯୁକ୍ତି ଦେବା ପାଇଁ ଆଶା ରଖିଛି

 

 

 

 

ଶ୍ରୀ ରେଘୁ ଜି,ନିର୍ଦ୍ଦେଶକ, ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ

ଶ୍ରୀ ରେଘୁ ଜି,ନିର୍ଦ୍ଦେଶକ, ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ

ଶ୍ରେଷ୍ଠ ଅଧିକାରୀ

ବର୍ତ୍ତମାନ ରାଜ୍ୟରେ ଦକ୍ଷତା ବିକାଶ ର ମୁଖ୍ୟ ଲକ୍ଷ୍ଯ ଶିକ୍ଷାର୍ଥୀ ମାନଙ୍କୁ ବିଶ୍ଵସ୍ତରୀୟ ପ୍ରଶିକ୍ଷଣ ପ୍ରଦାନ କରିବା ଯାହା  ନିଯୁକ୍ତିକାରୀଙ୍କ ଆବଶ୍ୟକତାକୁ ପୂରଣ କରିପାରୁଥିବ ବୋଲି ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶାଳୟ ର ନିର୍ଦ୍ଦେଶକ ଶ୍ରୀ ରେଘୁ ଜି ପ୍ରକାଶ କରିଛନ୍ତି।

କୌଣସି ବିଷୟରେ ଦକ୍ଷତା ପ୍ରତିପାଦନ କରିବାକୁ  ସେ ବିଷୟରେ ସବିଶେଷ ଜ୍ଞାନ ଏବଂ ବହୁ ସମୟ ଧରି ଅଭ୍ଯାସ କରିବା ଆବଶ୍ୟକ ବୋଲି ସେ ଭାବନ୍ତି। ବର୍ତ୍ତମାନର କରୋନା କାଳରେ ଶ୍ରେଣୀଗୃହରେ ବସି ପାଠ ପଢିବା ସମ୍ଭବପର ହେଉନଥିବା ବେଳେ ଘରେ ବସି ଅନଲାଇନ ସାହାଯ୍ୟରେ ପାଠ ପଢିବାକୁ ସମସ୍ତେ ବାଧ୍ୟ ହେଉଛନ୍ତି। ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ସବୁଠାରୁ ବଡ ଚାଲେଞ୍ଜ ହେବ ଯେତେବେଳେ ଶିକ୍ଷାନୁଷ୍ଠାନ ଗୁଡିକ ଖୋଲିବ, ସେତେବେଳେ ଏହି ଶିକ୍ଷାର୍ଥୀ ମାନେ କେତେ ମାତ୍ରାରେ ପ୍ରାକ୍ଟିକାଲ ଶିକ୍ଷା ସହ ତାଳ ଦେଇ ପାରିବେ।

ରାଜ୍ୟରେ ଦକ୍ଷତା ବିକାଶ ଦିଗରେ ଗତ ୨-୩ ବର୍ଷରେ ହୋଇଥିବା ପରିବର୍ତ୍ତନ ବିଷୟରେ କହିବାକୁ ଯାଇ ଶ୍ରୀ ରେଘୁ କୁହନ୍ତି ଯେ ଗତ କିଛି ବର୍ଷ ଧରି ଓଡିଶାରେ ଦ୍ରୁତଗତିରେ ଶିଳ୍ପାୟନର ବୃଦ୍ଧି ହୋଇଚାଲିଛି। ସେଥିନିମନ୍ତେ ଦକ୍ଷ ତଥା କୁଶଳୀ ବ୍ୟକ୍ତିଙ୍କ ଆବଶ୍ୟକତା ମଧ୍ୟ ବଢି ଚାଲିଛି, ଏହାକୁ ଆଖି ଆଗରେ ରଖି ଦକ୍ଷତା ନିର୍ଦ୍ଦେଶାଳୟ  ଏହାର ଶିକ୍ଷାର୍ଥୀ ମାନଙ୍କର ତାଲିମ ଉପରେ ଅଧିକ ଫୋକସ ଦେଉଛି।

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଦ୍ଵାରା ଆରମ୍ଭ କରାଯାଇଥିବା ନାନୋ ୟୁନିକର୍ଣ୍ଣ ଯୋଜନା ଦ୍ଵାରା ରାଜ୍ୟର ବହୁତ ଯୁବକଯୁବତୀ ଉଦ୍ୟୋଗୀ ହେବା ଦିଗରେ ପାଦ ବଢାଉଛନ୍ତି ବୋଲି ସେ ଖୁସି ପ୍ରକାଶ କରିଛନ୍ତି।

ଶ୍ରୀ ରେଘୁଙ୍କ ମତରେ ଅଧିକରୁ ଅଧିକ ଝିଅ ମାନେ ନିଜର ସୁରକ୍ଷିତ ଭବିଷ୍ୟତ ପାଇଁ ଦକ୍ଷତା ବିକାଶକୁ କ୍ଯାରିୟର ଭାବେ ଗ୍ରହଣ କରିବା ଉଚିତ। ଆଜିକାଲି ଦଶମ ଶ୍ରେଣୀ ପାସ କଲା ପରେ ବହୁତ ଝିଅ ମାନେ ବୈଷୟିକ ଶିକ୍ଷାକୁ କ୍ଯାରିୟର ଭାବେ ଗ୍ରହଣ କରିବାକୁ ଉତ୍ସାହିତ କରିବା ପାଇଁ ନିର୍ଦେଶାଳୟ ‘ସୁଦକ୍ଷା’ ଯୋଜନା ଦ୍ଵାରା ପ୍ରଣୟନ କରିଛି ଯାହା ଦ୍ଵାରା ସେମାନେ ଛାତ୍ରୀ ବୃତ୍ତି ପାଇ ପାରିବେ। ଯୋଜନା ପ୍ରଣୟନ ହେବାର ୩ ବର୍ଷ ମଧ୍ୟରେ ଓଡିଶାର କୋଣ ଅନୁକୋଣ ତଥା ଉପାନ୍ତ ଅଞ୍ଚଳରୁ ଝିଅ ମାନେ କେବଳ ଦକ୍ଷତା ଶିକ୍ଷା କୁ କ୍ଯାରିୟର ଭାବେ ଗ୍ରହଣ କରିନାହାନ୍ତି, ସେମାନେ ଆଜି ଯାଏ ଯେଉଁ କାର୍ଯ୍ୟଗୁଡିକ  ପୁରୁଷକୈନ୍ଦ୍ରିକ ଥିଲା, ସେପରି କାର୍ଯ୍ୟକୁ ମଧ୍ୟ ସୂଚାରୁ ରୂପେ କରିପାରୁଛନ୍ତି।

ଗତ ଜୁଲାଇ ମାସରେ ଦକ୍ଷତା ନିର୍ଦ୍ଦେଶାଳୟ ଦ୍ଵାରା ବିଶ୍ଵର ତଥା ଦେଶର ପ୍ରମୁଖ ଅନୁଷ୍ଠାନ ଗୁଡିକ ସହିତ ଦକ୍ଷତା ବିକାଶ ପାଇଁ ସ୍ବାକ୍ଷରିତ ହୋଇଥିବା ବୁଝାମଣା ପତ୍ର ଗୁଡିକୁ ନେଇ ସେ ଯଥେଷ୍ଟ ଆଶାବାଦୀ  ଅଛନ୍ତି ବୋଲି ଶ୍ରୀ ରେଘୁ କହିଛନ୍ତି। କୋରସେରା, ମିଳିତ ଜାତିସଂଘର ମହିଳା ବିକାଶ , ଟାଇମସ ପ୍ରୋ ସହିତ ଏସଏପି- ଇଆରପି (SAP-ERP) ତଥା ସ୍ୟାକ ରୋବୋଟିକ୍ସ ସହିତ ହୋଇଥିବା ବୁଝାମଣା ରାଜ୍ୟରେ ଦକ୍ଷତା ତାଲିମ ନେଉଥିବା ଯୁବାବର୍ଗଙ୍କୁ ଦେଶରେ ନିରନ୍ତର ପରିବର୍ତ୍ତିତ ହେଉଥିବା ଦକ୍ଷତା କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିବାକୁ ସାହାର୍ଯ୍ୟ କରିବ ବୋଲି ସେ କହିଛନ୍ତି।

 

କପି ସଂରକ୍ଷିତ ©2022 ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ । ସମସ୍ତ ସତ୍ତ୍ବ ସଂରକ୍ଷିତ

ପ୍ରଶ୍ନ ପଚାରନ୍ତୁ

ଆପଣଙ୍କ ପ୍ରଶ୍ନ ପଠାନ୍ତୁ